ଅଜଣା ଜଗତର ଡାକ
ଏମ୍ପବେଲ ବେ ଅଞ୍ଚଳରେ ସି କରେଣ୍ଟ ବେଶି । ସମୁଦ୍ର ତଳକୁ ଏଇଥି ପାଇଁ ଡାଇଭ ମାରିବା ଅତି ବିପଦଜନକ । ଉପରେ କିଛି ଜଣାପଡୁନି ଆଉ ତଳେ ନଦୀର ସ୍ରୋତଠାରୁ ଜୋରରେ ପାଣି ବୋହି ଚାଲୁଛି । ଏକଥା ଅଙ୍ଗେ ନଲିଭାଇଲେ ବିଶ୍ୱାସ କରିବା କଷ୍ଟ । ପ୍ରାୟ ଦୁଇଶହ ଗ୍ରାମର ଲୁହାକୁ ସମୁଦ୍ର ସ୍ରୋତ ସହଜରେ ଟାଣି ନେଉଛି । ଏହା ଭିତରେ ପ୍ରସାଦବାବୁ ସୂତାକୁ ଟିକେ ହଲାଇ ଜାଣିଗଲେ ମାଛ ଲାଗିଛି । ସେ ତା’ପରେ ଦୁଇ ହାତରେ ପ୍ରଥମେ ଧୀରେ ଧୀରେ ସୂତା ଟାଣିଲେ । ସେପଟୁ ଟଣାଟା ଜୋର ଜଣାଗଲା । ମାଛ ଲାଗିବାଟା ନିଶ୍ଚିତ । ତା’ପରେ କିଛି ବାଟ ଉପରକୁ ସୂତା ଆସିବାପରେ ଜୋର ଜୋରରେ ସୂତା ଟାଣିଲେ । ଅସୀମ ଉହୁଙ୍କି ପଡି ମାଛ ଆସୁଛି ଭାବି ଲାଗିଗଲେ । ଶେଷରେ ସୂତାଟା ପ୍ରାୟ ପାଣି ଉପରକୁ ଉଠି ଆସିଲା । ଏକ ବିରାଟ ଗ୍ରୁପର । କୋରାଲ ମାଛ । ଚାରି କିଲୋ ହେବ । ପ୍ରସାଦ ବାବୁଙ୍କ ମୁହଁ ଖୁସିରେ ଜଳି ଉଠିଲା । ପ୍ରଥମ ଧରା ବେଶ ଭଲ । ମାଛଟା ଛଟପଟ ହେଉଥାଏ । ମୋଟା ପେଟୁଆ ମାଛ । ଚଉଡା ଅଧିକ । ସେମାନେ ତା’କୁ ମାଡିବସିଲେ । ତା’ ମୁହଁରୁ କଣ୍ଟା ଛଡାଇ ଦିଆଗଲା । ବୋଟର ବସିବା କାଠ ତଳେ ଥିବା ସାମାନ୍ୟ ପାଣିରେ ଛାଡିଦିଆଗଲା । ମାଛ ହଠାତ୍ ମରିବନି ।
ଏହା ଭିତରେ ଅସୀମ ନିଜ ସୂତାରେ ଏକ ଜୋର ଟାଣ ଅନୁଭବ କଲେ । ଏହା ସମୁଦ୍ର ସ୍ରୋତର ଟାଣ ନୁହେଁ । ସ୍ରୋତ ହୋଇଥିଲେ ଟାଣ ଏକା ଭଳିଆ ଥାଆନ୍ତା । ପ୍ରସାଦବାବୁଙ୍କ ଉପଦେଶ ଅନୁସାରେ ଅସୀମ ସାମାନ୍ୟ ଝଟକାଦେଲେ । କଣ୍ଟାଟା ମାଛ ମୁହଁରେ ପଶିଯାଉ । ତା’ହେଲେ ମାଛ ବାହାରି ପାରିବନି । ତାଙ୍କ କହିବା ଅନୁସାରେ ପ୍ରଥମେ ଧୀରେ ଆଉ ପରେ ଜୋରରେ ଟାଣି ଟାଣି ଅସୀମମାଛଟାକୁ ଉପରକୁ ନେଇ ଆସିଲେ । ଏକ ଚକଚକିଆ ମାଛ । ଲମ୍ବା । ପ୍ରାୟ କିଲେ ଓଜନର ହେବ । ଅସୀମଙ୍କର ସମୁଦ୍ରରୁ ପ୍ରଥମ ମାଛଧରା । ଯାହାହେଉ କିଲେ ମାଛଧରି ସେ ଖୁସି ହୋଇଗଲେ । ଏ ଭିତରେ ବୋଟମ୍ୟାନର ସୂତାରେ ଏକାଥରେ ତିନିଟା ଅଧକିଲିଆ ମାଛ ଲାଗିଥିଲା । ଅଲଗା ଅଲଗା ଜାଗାରେ ଥୋପ ଖାଇଛନ୍ତି । ଏମିତି ମାଛ ଧରା ପ୍ରାୟ ଘଣ୍ଟାଏ ଚାଲିଲା । ଏ ଭିତରେ ସେମାନେ ଅନେକ ପ୍ରକାରର ମାଛ ଧରିନେଇଥିଲେ । ଅନେଇଲା ବେଳକୁ ମାଛର ଢେରା ପାଖରେ ଲାଗିଗଲାଣି । ପ୍ରାୟ ୧୫-୨୦କିଲୋ ମାଛ । ଏତେ ମାଛ କ’ଣ କରିବେ? ପ୍ରସାଦ ବାବୁଙ୍କର କଣ୍ଟା ତଥାପି ତଳେ ଥିଲା । କିଛି ଗୋଟାଏ ଟାଣୁଛି । ସେ ପ୍ରଥମ ଝଟକାରେ ମାଛର ମୁହଁରେ କଣ୍ଟା ଫସାଇଦେଲେ । ତା’ପରେ ଜୋର ଜୋରରେ ସୂତା ଉପରକୁ ଟାଣିଲେ । ଉପର ଆଡକୁ ଯୋରରେ ସୁତା ଏପଟ ସେପଟ ହେଲା । ଆରେ ଏଇଟା ଛୋଟ ଶାର୍କ । ଶାର୍କଗୁଡା ମଧ୍ୟ ବେଳେବେଳେ ସମୁଦ୍ର ତଳକୁ ଖାଇବା ପାଇଁ ଚାଲି ଯାଆନ୍ତି । ଶାର୍କମାଛ କେହି ଖାଆନ୍ତିନି । କିନ୍ତୁ ତା’କୁ ଛାଡିବେ କେମିତି? କଣ୍ଟାଟା ସହ ଛାଡିଲେ ବିଚରା କଷ୍ଟପାଇ ବୁଲିବ । ତେଣୁ ତା’କୁ ଉପରକୁ ବଡ ଯତ୍ନର ସହ ଟେକି ଅଣାଗଲା । ଏହା ଏକ ବୃହତ ବାଳିଆ ମାଛପରି ଦେଖାଯାଉଥିଲା । ତା’ ମୁହଁରେ ଅସଂଖ୍ୟ ଦାନ୍ତ । ବହୁ କଷ୍ଟରେ ଶାର୍କକୁ କାବୁକରି ମୁହଁରୁ କଣ୍ଟା ବାହାର କରିନେଲେ । ଏମାନେ ଅତି ସାବଧାନ ଥିଲେ । ଆଙ୍ଗୁଠି ମୁହଁ ଭିତରକୁ ଚାଲିଯାଇଥିଲେ ନିମିଷେକ ଶାର୍କ ପାଣି ବାହାରେ ମଧ୍ୟ ବ୍ଲେଡ ଭଳି ଦାନ୍ତରେ ଛିଡାଇଦେବ । ଏଇ ଅଧମିନିଟରେ ଶାର୍କମୁହଁରୁ କଣ୍ଟା ବାହାର କରି ତା’କୁ ପାଣିରେ ଛାଡିଦେଲେ । ପ୍ରାୟ ଦୁଇକିଲୋ ଓଜନର ଶାର୍କଟି ପ୍ରଥମେ ଲାଙ୍ଗୁଡ ହଲାଇ ଉପରେ ପହଁରିଲା ତା’ପରେ ହଠାତ୍ ପାଣି ଭିତରକୁ ଡାଇଭ ମାରି କୁଆଡେ ଲୁଚିଗଲା ।
ଏତେ ବେଶି ମାଛ । କେତେ ନିଜେ ଖାଇବେ? ଅଳ୍ପ କିଛି ରଖି ବାକିମାଛ ପାଖ ପଡୋଶୀଙ୍କୁ ବାଣ୍ଟି ଦିଆଗଲା । ଦିନେ ଖବର ପାଇ ପଦ୍ମଶିବ ଆଉ ଅସୀମ କ୍ୟାମ୍ପବେଲ ବେରୁ ଆସି ନେଭିଡେରା କ୍ୟାମ୍ପରେ ପହଞ୍ଚôଲା ବେଳକୁ ଜେମସ ନାମକ ଲୋକଟି ମରି ଶୋଇଥିଲା । ଦେହରେ କେଉଁଠି ସାମାନ୍ୟ କ୍ଷତ ନାହିଁ । ଅସୀମ ଭାବିପାରିଲେନି କ’ଣ ହୋଇଗଲା । ଆଗରେ ଲୋକଟିର ଆଖି ଶାନ୍ତିରେ ବୁଜି ହୋଇଯାଇଛି । ମୁହଁରେ ସାମାନ୍ୟ ଯନ୍ତ୍ରଣା ନାହିଁ । ଏମିତି ଲୋକଟିଏ କେମିତି ମରିପାରେ? ତା’ର ବୟସ ତିରିଶି ଭିତରେ ହେବ । ସେତେବେଳକୁ କ୍ୟାମ୍ପର ସମସ୍ତେ ଏକାଠି ହୋଇଯାଇଥିଲେ । ଏଠି ଅଘଟଣମାନ ଘଟିଯାଏ । କିଛି କରିବାର ସୁଯୋଗ ନଥାଏ । ଲୋକଟି କ୍ୟାମ୍ପ ପାଖ ନଡିଆ ଗଛରୁ ଖସିପଡିଛି ଆଉ ତଳେ ପଡି ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇଛି । ତା’ପରେ କିଛି ଘଣ୍ଟାପରେ ଜେମସ ନାମଧାରୀ ଲୋକଟିକୁ କ୍ୟାମ୍ପବେଲ ବେରେ କବରଖାନାରେ ତଳକୁ ନୁଆଁଇ ଦିଆଗଲା, ତା’ ଉପରେ ମାଟି ବିଞ୍ଚôଦିଆଗଲା । ମାଟି ଉପରେ ଫୁଲକୁ ଛିଞ୍ଚôଦିଆଗଲା, କିଛି ପାଣି ଢାଳିଦିଆଗଲା । ସେଇଠି ଲୋକଟି ଗଭୀର ନିଦରେ ଶୋଇଗଲା । କିଛି ଲୋକଙ୍କ ଆଖିରେ ଲୁହ ଆସିଗଲା, କିଛି ଲୋକ ଶୂନ୍ୟଦୃଷ୍ଟିରେ ଆକାଶକୁ ଅନାଇଲେ, କିଛି ସମୁଦ୍ରକୂଳକୁ ଦୌଡିଯିବା ପାଇଁ ଆକୁଳ ହେଲେ, କିଛି ଲୋକ ସେମାନଙ୍କ ହାତ ଘଡିକୁ ବ୍ୟସ୍ତ ହୋଇ ବାରମ୍ବାର ଅନାଇଲେ । ଅସୀମ ଲୋକଟିକୁ ଏକ ମାଟିର ଟ୍ରେଞ୍ଚ ଭିତରକୁ ଓହ୍ଲେଇ ଦେବା କେବଳ ଦେଖିପାରିଲେ । ତା’ପରେ ଲୋକଟା ସମସ୍ତଙ୍କ ଆଗରେ ହଜିଗଲା । ଅସୀମ ଭାବିଲେ ଲୋକମାନଙ୍କ ମନୋବଳ ବଢାଇବା ପାଇଁ ତାଙ୍କୁ ନିଜର ଗସ୍ତ ବଢାଇବାକୁ ପଡିବ । ଏବେ ଅସୀମ ନିଶ୍ଚିତ ଭାବେ କିଛି କିଛି ସପ୍ତାହ ଅନ୍ତରରେ ନିଜର ଦୂର କ୍ୟାମ୍ପମାନଙ୍କୁ ପରିଦର୍ଶନରେ ଯାଆନ୍ତି । ସେ ବିଶ୍ୱାସ କରନ୍ତି ଏମିତି ଦୂରଦୂରାନ୍ତ କ୍ୟାମ୍ପ ପରିଦର୍ଶନ ଦ୍ୱାରା ଷ୍ଟାଫଙ୍କର ମନୋବଳ ବଢେ ଆଉ କାମ ପ୍ରତି ସ୍ପୃହା ଆସେ । ଦୂର କ୍ୟାମ୍ପମାନଙ୍କରେ ସେମିତି କିଛି ସୁବିଧା ନଥାଏ, ଏମିତିକି ଆଖ ପାଖରେ ଲୋକ ବସତିଟିଏ ମଧ୍ୟ ନଥାଏ । ଫଳରେ ଫରେଷ୍ଟର ଫିଲଡ ଷ୍ଟାଫମାନେ ନିଜକୁ ବହୁତ ଏକୁଟିଆ ମନେ କରନ୍ତି । ସେମାନଙ୍କ ପାଖରେ କିଛି ସୁବିଧା ଅସୁବିଧା ହେଲେ କିଛି କରିବା ପାଇଁ ଯାତାୟାତର ସୁବିଧା ନଥାଏ । ଖବର ଓୟାରଲେସ ଦ୍ୱାରା କ୍ୟାମ୍ପବେଲ ବେକୁ ଅବଶ୍ୟ ଦେଇହେବ ଆଉ ସେଠାରୁ ସାହାଯ୍ୟ ଆସିବାର ପ୍ରତୀକ୍ଷା କରିବାକୁ ପଡିବ । ଅସୀମଙ୍କର ଏହି ସବୁ ଫିଲଡ ଭିଜିଟ ଦ୍ୱାରା କ୍ୟାମ୍ପର ଷ୍ଟାଫମାନେ ମନେକରନ୍ତି କେହି ତ ପାଖକୁ ଆସୁଛି । ମଣିଷ ମଣିଷ ଭିତରେ କଥାବାର୍ତ୍ତା ବା ଇଣ୍ଟରଆକ୍ସନ ହେବା ଦରକାର । ଦୂର ଜାଗାକୁ ଯାତ୍ରା ପାଣିରେ ହେବ । ସେମାନଙ୍କ ପାଖେ ଛାତ ଥିବା ବୋଟଟିଏ ନଥିଲା । ତଥାପି ଅସୀମ ଛୋଟ ଖୋଲା ବୋଟରେ ଦୂରକୁ ନିୟମିତ ବାହାରି ଯାଆନ୍ତି । ସେ ଭିତରେ କିଛି କିଛି ଯାତ୍ରା ମନେରଖିଲା ପରି ହୋଇଯାଏ । ସେମିତି ଏକ ଘଟଣା ଘଟିଗଲା । ହସିବାର କଥା । କିନ୍ତୁ ଜୀବ ଜୀବ ଭିତରେ ଥିବା ସମ୍ବନ୍ଧ ବିଷୟରେ ଭଲ ଜ୍ଞାନ ହେଲା । ଏମିତି ଏକ ଯାତ୍ରାରେ ସେଥର ନେଭିଡେରା ଛାଡି ସେମାନେ ଅନେକ ସମୁଦ୍ର ଭିତରକୁ ଆସିଯାଇଥିଲେ । ଛୋଟ ବୋଟରେ ଦୂରକୁ ଯିବା ବିପଦଭରା ଥାଏ । ଏକଦମ ସମୁଦ୍ରକୂଳକୁ ଲାଗି ଫେରିବା ସମ୍ଭବ ନଥିଲା କାରଣ ସମୁଦ୍ରକୂଳରେ ଥିଲା ଅନେକ ଛୋଟ ପାହାଡ । ଆଉ ସବୁଠାରୁ ବଡ ବିପଦ ହେଉଛି ସାମାନ୍ୟ ବାହାରକୁ ବାହାରି ଆସିଥିବା କୋରାଲ । ପାଣି ଛାଡିଲେ କୋରାଲ ତ ଏକ ବଗିଚା ଭଳି ସମୁଦ୍ରକୂଳରେ ଫୁଟିଉଠେ । କେତେ ରଙ୍ଗର ଆଉ ଆକାରର କୋରାଲ ସେଠାରେ ଥାଏ । ତଳେ ଟିକେ ଟିକେ ପାଣି ରହିଯାଏ ଆଉ ଅନେକ ଛୋଟ ମାଛ, କଙ୍କଡା ସେଇଠି ବୁଲୁଥାନ୍ତି । ପାଣି ଜୋରରେ ଆସି ପଥର ଉପରେ ମାଡ ହୁଏ । କୋରାଲ ଆଉ ଛୋଟ ପାହାଡ ମଝିରେ ବେଳେ ବେଳେ ବାଲିଚର ଥାଏ । ସେମିତି ଜାଗାକୁ ବୋଟ ଯାଇପାରେ । ସେମିତି ଏକ ଜାଗାଥିଲା ନେଭିଡେରା । ସେଠୁ ବାହାରି ଆସିବାପରେ ବୋଟକୁ ସମୁଦ୍ର ଭିତରକୁ ଯିବାକୁ ହୁଏ । (କ୍ରମଶଃ)
ଭୁବନେଶ୍ୱର